Maa Samaleswari

"ମହାପ୍ରଭୁ ଜଗନ୍ନାଥଙ୍କ" ପରେ ଓଡ଼ିଶାରେ ଏକ ବଡ଼ ଅଞ୍ଚଳରେ ଅଧ୍ୟକ୍ଷତା କରୁଥିବା ଦେବୀ ହେଲେ "ମାଆ ସମଲେଶ୍ଵରୀ"। ମାଆ ସମଲେଶ୍ଵରୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ହେଲେ ସୁଦ୍ଧା, ସମଗ୍ର ପଶ୍ଚିମ ଓଡ଼ିଶା ଏବଂ ନିକଟ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡରେ ମଧ୍ୟ ପୂଜା ପାଉଛନ୍ତି।ସର୍ବ ପୁରାତନ ଦୈବୀଶକ୍ତି ପୀଠ ଭାବେ ମଧ୍ୟ ଏହା ଗଣିତ। କେଉଁ କାଳରୁ ମାଆ ସମଲେଶ୍ଵରୀ ମହାନଦୀ କୂଳରେ “ଜଗତଜନନୀ, ଆଦିଶକ୍ତି, ମହାସରସ୍ଵତୀ ଏବଂ ମହାଲକ୍ଷ୍ମୀ” ରୂପେ ପୂଜା ପାଉଛନ୍ତି।

ଯଦି ଇତିହାସର ଫର୍ଦ୍ଦ ଓଲଟାଇବା ତେବେ ଜାଣିବାକୁ ମିଳେ ଯେ, ସମ୍ବଲପୁର ଜିଲ୍ଲା ପୁରାତନ କାଳରେ 'ହୀରାଖଣ୍ଡ' ନାମରେ ପରିଚିତ ଥିଲା। ଟୋଲେମି ଏହି ସ୍ଥାନକୁ 'ସମ୍ବଳକ' ନାମରେ ବର୍ଣ୍ଣନା କରିଥିଲେ।

ଫ୍ରାନ୍ସ ଭ୍ରମଣକାରୀ ଟାଭେର୍ନି ଏବଂ ଇଂରାଜୀ ଐତିହାସିକ ଏଡୱାର୍ଡ ଗିବନ୍ ଦ୍ବୟଙ୍କ କଥନ ଅନୁଯାୟୀ ପୂର୍ବେ ଏଠାରୁ ହୀରା ରୋମକୁ ରପ୍ତାନି କରାଯାଉଥିଲା।

ସେଇ ଇତିହାସ ପୃଷ୍ଠାରୁ ଅନୁମାନ କରାଯାଏ ଯେ, ସମ୍ବଳକ ନାମରୁ ସମ୍ବଲପୁର ହୋଇଛି। ଏହା ମଧ୍ୟ ଅନୁମାନ କରାଯାଏ ଯେ, ସମ୍ବଳରେ ଭରପୁର ଥିବାରୁ ନାମଟି ସମ୍ବଲପୁର ହୋଇଛି ଏବଂ ଏଠାକାର ଅଧିଷ୍ଠାତ୍ରୀ ଦେବୀ, ସମଗ୍ର ସମ୍ବଲପୁର ଖଣ୍ଡର ଉତ୍ତରଦାୟିତ୍ୱା, ରକ୍ଷାକାରୀଙ୍କ ନାମ ମାଆ ସମଲେଶ୍ଵରୀ ହୋଇଛି। ସମ୍ବଲପୁର ଏବଂ ନିକଟ ଅଞ୍ଚଳରେ ମାଆ ସମଲେଇ ନାମରେ ମଧ୍ୟ ଅଭିହିତ ହେଉଛନ୍ତି।

କିଛି ଐତିହାସିକଙ୍କ ଅନୁଯାୟୀ, ମାଆ ସମଲେଶ୍ଵରୀ ତୃତୀୟ ଦଶକରୁ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ମହାନଦୀ କୂଳରେ ଏକ ଶିମିଲି ଗଛ ତଳେ ଉଭା ହୋଇ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିସମୂହଙ୍କ ଦ୍ଵାରା ପୂଜିତ ହେଉଥିଲେ।

ମାଆ ସମଲେଇ ୧୬ ଦଶକର ମଧ୍ୟକାଳରେ ରାଜା ଶ୍ରୀ ବଳରାମ ଦେବଙ୍କୁ ସ୍ୱପ୍ନାଦେଶ ଦେଇଥିଲେ ଏବଂ ପରେ ତାଙ୍କ ଦ୍ଵାରା ମନ୍ଦିର ନିର୍ମିତ ହୋଇଥିଲା। ମନ୍ଦିରଟି ପୁନଃ ୭ମ ସ୍ଵାଧୀନ ରାଜା ଶ୍ରୀ ଛତ୍ର ସାଇ ଦେଓଙ୍କ ଦ୍ଵାରା ନିର୍ମାଣ ହୋଇଥିଲା। ରାଜା ତାଙ୍କ ରାଜତ୍ଵ କାଳରେ ସେବା ଏବଂ ଦେବୀଙ୍କ ପୂଜା ପାଇଁ ବିଶାଳ ଜମି, ସମ୍ପତ୍ତି ଦାନ କରିଥିଲେ।

ମନ୍ଦିରଟି ଏକ ସାନ୍ଧ୍ରା କ୍ରମରେ(ଏହିପରି ମନ୍ଦିର ଗୁଡ଼ିକରେ ବର୍ଗାକାର ସ୍ଥାନ ଥାଏ ଯାହା ପବିତ୍ର ସ୍ଥାନର ପ୍ରଦକ୍ଷୀନ ପାଇଁ ଉଦ୍ଦିଷ୍ଟ ଏକ ଗ୍ୟାଲେରୀ ଦ୍ଵାରା ଆବଦ୍ଧ) ନିର୍ମିତ ହୋଇଛି, ମାଆ ସମଲେଶ୍ଵରୀଙ୍କୁ ଘେରି ଏଗାର ଗୋଟି ପାର୍ଶ୍ଵଦେବୀ ଅଛନ୍ତି। ପରିକ୍ରମା ସମୟରେ ପାର୍ଶ୍ଵଦେବୀ ମାନଙ୍କୁ ଭକ୍ତମାନେ ପୂଜା କରିଥାନ୍ତି।

ଏକ ଗ୍ରାନାଇଟ ପଥରଖଣ୍ଡ ଯାହାର ନିମ୍ନ ଭାଗରେ ଏକ ଓଲଟା ଶୁଣ୍ଢ ପରି ଆକୃତି ଅଛି ଯାହା ମାଆଙ୍କର ରୂପକୁ 'ବରାହ' ସଦୃଶ ମୁଖରେ ଉପସ୍ଥାପନ କରେ। ସେହି ବରାହ ସଦୃଶ ମୁଖରେ ଏକ ହାଲୁକା ସରୁ କଟା ସ୍ଥାନ ତାଙ୍କର ମୁଁହ ଅଟେ। ସଂପୂର୍ଣ୍ଣ ସୁନାରେ ତିଆରି ଏକ ସମ୍ବଲପୁରୀ ନାକ ଅଳଙ୍କାର ନଥ ତାଙ୍କ କାଳ୍ପନିକ ନାକ ତଳେ ଝୁଲୁଛି। ଅସଙ୍ଗତ ସ୍ଥିର ଭାବେ ଲଗାଯାଇଥିବା ସ୍ଵର୍ଣ୍ଣ ପତ୍ର ଦ୍ବୟ ଉଦାର ମୁଖମଣ୍ଡଳରେ ସୁବର୍ଣ୍ଣ ଆଖିର ବିକଳ୍ପ ଭାବରେ ମାଆଙ୍କ ରୂପଟିକୁ ପରିଭାଷିତ କରୁଛି।

ସେଇ ଅଦ୍ୱିତୀୟ ମୁଖମଣ୍ଡଳଟି ମାତୃତ୍ଵ ପ୍ରତି ଭୟର ଉତ୍କୃଷ୍ଟ ଭାବନା, ଡର, ସମ୍ମାନ, ଭକ୍ତି ଏବଂ ସର୍ବବ୍ୟାପୀ ମାତୃତ୍ଵ ପ୍ରତି ପ୍ରେମ ଓ ସ୍ନେହର ଭାବନା ପ୍ରେରଣ କରୁଛି।

ମାଆଙ୍କ ନିକଟରେ ବିଭିନ୍ନ ପର୍ବ ପର୍ବାଣୀ ବର୍ଷ ତମାମ ପାଳନ ହୋଇଥାଏ, ହେଲେ ମୁଖ୍ୟତଃ ଆଶ୍ୱିନ ନବରାତ୍ର ଏବଂ ଚୈତ୍ର ନବରାତ୍ର ଆଡମ୍ବର ସହକାରେ ହୋଇଥାଏ।

ନଅଦିନ ସାରା ମାଆ ନବଦୁର୍ଗାଙ୍କର ନଅଟି ରୂପରେ ପୂଜା ପାଇଥାନ୍ତି ଏବଂ ଦର୍ଶନ ଦିଅନ୍ତି, ଯାହାକୁ "ବୀଜ ରୂପ" କୁହାଯାଏ। ଆଶ୍ୱିନ ନବରାତ୍ର ସମୟରେ, ଆଶ୍ୱିନ ଅମାବାସ୍ୟା (ମହାଳୟା) ଦିନ ମାଆ ସମଲେଶ୍ଵରୀ ଶ୍ୱେତ ରଙ୍ଗରେ ଦର୍ଶନ ଦିଅନ୍ତି। ପୂର୍ବଦିନ ରାତ୍ରିରୁ ମାଆଙ୍କୁ ଗଙ୍ଗାଜଳରେ ସ୍ନାନ କରାଯାଇ, ଚନ୍ଦନ, ଅଗୁରୁ ପ୍ରଲେପ ଦେଇ, ଶ୍ୱେତବସ୍ତ୍ର ପିନ୍ଧାଇ ପ୍ରସ୍ତୁତ କରାଯାଏ। ଏହାକୁ "ଧବଳମୁଖୀ ବେଶ/ଗଙ୍ଗାଶ୍ରାଦ୍ଧ ବେଶ" କୁହାଯାଏ। ଏହା ମାଆଙ୍କର ଏକ ଶାନ୍ତ ବେଶ ଅଟେ। ଏହି ବେଶଟି ବର୍ଷକରେ ଥରେ ହୋଇଥାଏ, ଏବଂ କଥିତ ଅଛି ମାଆଙ୍କର ଏହି ବେଶକୁ ଦର୍ଶନ କଲେ ସମସ୍ତ ପାପରୁ ମୋକ୍ଷ ମିଳିଥାଏ।

ଆଉ ଗୋଟିଏ ପର୍ବ ମାଆଙ୍କ ନିକଟରେ ମୁଖ୍ୟ, ତାହା ହେଉଛି "ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ନୂଆଁଖାଇ"।

ବହୁ ପୁରାତନ କାଳରୁ ପ୍ରଥା ଅଛି ପ୍ରଥମେ ମାଆ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି ହେଲାପରେ, ଘରେ ଘରେ ଭୋଗ ହୋଇ ନବାନ୍ନ ଗ୍ରହଣ କରାଯାଏ। ଏହି ଦିନ ମାଆଙ୍କ ଦର୍ଶନ ନିମନ୍ତେ ଅନେକ ଭିଡ଼ ଜମିଥାଏ।

ପ୍ରତିଦିନ ମାଆଙ୍କ ନିକଟରେ ଅନ୍ନ, ପିଠା ମିଠା ରୋଷଘରେ ପ୍ରସ୍ତୁତ ହୋଇ ଭୋଗ ହୁଏ। ସର୍ବସାଧାରଣଙ୍କ ନିମନ୍ତେ ମଧ୍ୟ ଭୋଗ ଗ୍ରହଣ ସୁବିଧା ଉପଲବ୍ଧ ଅଛି।

ମାଆ ସମଲେଶ୍ଵରୀଙ୍କ ପୀଠଟି ଆନ୍ତର୍ଜାତୀୟ ସ୍ବାମୀ ବିବେକାନନ୍ଦ ବିମାନବନ୍ଦର ରାୟପୁରରୁ ୨୬୫ କି.ମି, ଆନ୍ତର୍ଜାତୀୟ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଝାରସୁଗୁଡ଼ାରୁ ୫୦ କି.ମି ଅଟେ। ନିକଟସ୍ଥ ରେଲୱେ ଷ୍ଟେସନରୁ ୨ କି.ମି ଓ ବେସରକାରୀ ବସଷ୍ଟାଣ୍ଡରୁ ୭ କି.ମି ଅଟେ।

ମାଆ ସମଲେଶ୍ଵରୀଙ୍କ ପୀଠ ଛଡ଼ା ନେହେରୁ ଉଦ୍ୟାନ, ଗାନ୍ଧିମିନାର, ନେହେରୁ ମିନାର(ବୁର୍ଲା), ସର୍ବବୃହତ ହୀରାକୁଦ ମାଟିବନ୍ଧ, ଘଣ୍ଟେଶ୍ୱରୀ, ରାଇଟ୍ ଡାଇକ, ଦେବ୍ରିଗଡ ଅଭୟାରଣ୍ୟ ଅନ୍ୟତମ ପର୍ଯ୍ୟଟନସ୍ଥଳୀ।


REFERENCES:Various Sources

IMAGE REFERENCES:The photos uploaded to the website are collected from various internet sources. ODISHA Tales doesn't own any photos.Thanks to Everyone who clicked these photos.

DISCLAIMER:Testimonials appearing on this site are actually received via text, audio, video submission and some are translated by volunteers. They are individual experiences, reflecting real life experiences of those who have used the website to bring the information for public view. However, there are individual and subgroup findings and that may vary. We are open to receive your input to improve our website. ODISHA Tales is humbled to host the contents. However, respective authors retain the copyright of their own articles. ODISHA Tales bears no responsibility regarding the copyright claims.
Previous Post Next Post

Contact Form